ସୋସିଆଲ ମିଡିଆରେ ପୋଷ୍ଟ୍‌ ଲାଇକ୍‌ କରିବା ପଡିଲା ମହଙ୍ଗା, ଚାଲିଗଲା ଚାକିରି

Published By : Prameya-News7 Bureau | September 20, 2024 IST

ନୂଆଦିଲ୍ଲୀ ୨୦।୦୯: ଲୋକଙ୍କ ଭାବନା ଓ ବିଚାର ଶେୟାର କରିବାର ମାଧ୍ୟମ ପାଲଟିଛି  ସୋସିଆଲ ମିଡିଆ । କିନ୍ତୁ ବେଳେବେଳେ ସୋସିଆଲ ମିଡିଆ ପୋଷ୍ଟ୍‌ ବା ଲାଇକ୍‌ ଲୋକଙ୍କୁ ମହଙ୍ଗା ପଡୁଛି । ନିକଟରେ ଏଭଳି  ଏକ ଘଟଣା ସାମ୍ନାକୁ ଆସିଛି । ଏଥିରେ ଜଣେ କର୍ମଚାରୀଙ୍କୁ  ଏକ ସୋସିଆଲ ମିଡିଆ ପୋଷ୍ଟ୍‌ ଲାଇକ୍‌ କରିବା ଯୋଗୁ ଚାକିରି   ହରାଇବାକୁ ପଡ଼ିଛି । ମାମଲାଟି ଲିଙ୍କ୍‌ଡଇନ୍‌ ପ୍ଲାଟ୍‌ଫର୍ମର ଏକ ପୋଷ୍ଟ୍‌ ସହ ସଂଶ୍ଳିଷ୍ଟ ।  ଏଥିରେ ଜଣେ କର୍ମଚାରୀ ନିଜ ଅଫିସ୍‌ର ସମସ୍ୟା ବିଷୟରେ  ଲେଖିଥିଲେ । 

କମ୍ପାନିର ଅଜବ ନିୟମ ଓ ଖରାପ କାର୍ଯ୍ୟ   ପରିସ୍ଥିତି କେମିତି ତାଙ୍କ ଜୀବନକୁ ନର୍କ କରିଦେଇଥିଲା, ତାହା  ସେ ପୋଷ୍ଟ୍‌ରେ ଲେଖିଥିଲେ । କର୍ମଚାରୀ ଜଣକ ସେହି ପୋଷ୍ଟ୍‌କୁ   ଲାଇକ୍‌ କରିଥିଲେ । ପର ଦିନ ତାଙ୍କୁ କମ୍ପାନିର ସିଇଓ ଫୋନ୍‌  କଲେ ଏବଂ ତାଙ୍କୁ ଚାକିରିରୁ ବିଦା କରିଦେଲେ । ସିଇଓଙ୍କ  ଅଭିଯୋଗ, କର୍ମଚାରୀ କମ୍ପାନି ବିଷୟରେ ନକାରାତ୍ମକ କଥା  ପ୍ରଚାର କରୁଛନ୍ତି । ଏହି ଘଟଣା କାର୍ଯ୍ୟସ୍ଥଳୀରେ ମାନସିକ ସ୍ୱାସ୍ଥ୍ୟ  ବିଷୟ ପ୍ରତି ଧ୍ୟାନ ଆକର୍ଷିତ କରିଛି । କର୍ମଚାରୀ କହିଛନ୍ତି,  ମାନସିକ ସ୍ୱାସ୍ଥ୍ୟ ଉପରେ ଚର୍ଚ୍ଚା ହେଉଛି । 

କିନ୍ତୁ ଯେତେବେଳେ  ଜଣେ ବ୍ୟକ୍ତି ନିଜ ସମସ୍ୟା ବିଷୟରେ କଥା ହୁଏ, ତାକୁ  ସର୍ବଦା ଅଣଦେଖା କରାଯାଏ । କାର୍ଯ୍ୟସ୍ଥଳୀ ସମସ୍ୟା ଉପରେ  କଥା ହେବାର ସ୍ୱାଧୀନତା କାହିଁକି ନାହିଁ ଏବଂ ଚୁପ୍‌ ରହି କାମ  କରିବାକୁ ସେମାନେ କାହିଁକି ବାଧ୍ୟ ବୋଲି ସେ କହିଛନ୍ତି । ନୂଆ  ଚାକିରିରେ ବି କ’ଣ ଏଭଳି ଚୁପ୍‌ ରହିବାକୁ ପଡ଼ିବ ଏବଂ  କାର୍ଯ୍ୟସ୍ଥଳୀ ସମସ୍ୟାକୁ ସହିବାକୁ ପଡ଼ିବ ବୋଲି ସେ ସୋସିଆଲ  ମିଡିଆରେ ପ୍ରଶ୍ନ କରିଛନ୍ତି । ଏକ ସାଧାରଣ ସୋସିଆଲ ମିଡିଆ  ପୋଷ୍ଟ୍‌ କେମିତି ଜଣେ କର୍ମଜୀବୀଙ୍କ ଉପରେ ଗଭୀର ପ୍ରଭାବ   ପକାଇପାରେ, ଏହି ଘଟଣା ତାହା ଦର୍ଶାଇଛି ।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.